କଥାରେ ଅଛି "ମଣିଷ ପରିସ୍ଥିତିର ଦାସ ।" ପରିସ୍ଥିତିକୁ ମୁକାବିଲା କରିବା ମଣିଷର କାମ । ପରିସ୍ଥିତି କେତେବେଳେ ନିଜ ଆୟତ୍ତରେ ରହେ ତ କେତେବେଳେ ଅଣଆୟତ୍ତ । କର୍ମ କରି ସୁଦ୍ଧା ପରିସ୍ଥିତି ବେଳେବେଳେ ଅଣଆୟତ୍ତକୁ ଚାଲିଯାଏ, ଯାହା କି ଆମେ ଭାଗ୍ୟ ବୋଲି କହିଥାଉ । ତେଣୁ ମୁଁ ଭାବେ ଜୀବନ ହେଉଛି କର୍ମ ଓ ଭାଗ୍ୟ ଭିତରେ ଚାଲିଥିବା ଏକ ଖେଳ । ଭାଗ୍ୟ ଯେ ସବୁବେଳେ ବିପରୀତ ହୁଏ ତା' ନୁହଁ ବେଳେ ବେଳେ ଜଟିଳ ପରିସ୍ଥିତିରେ ଭାଗ୍ୟ ଅନୁକୂଳ ଅବସ୍ଥା ସୃଷ୍ଟି କରି ନିରାପଦ ଜାଗାକୁ ବାଟ କଢ଼େଇ ନିଏ । ସେମିତି ଅନେକ କିଛି ଘଟଣା ବି ମୋ ଜୀବନରେ ଘଟିଛି, କେତେବେଳେ ତାହା ଆୟତ୍ତରେ ରହିଛି, କେତେବେଳେ ପୁଣି ଅଣଆୟତ୍ତ । କର୍ମ ଓ ଭାଗ୍ୟର ସମିଶ୍ରଣରେ 'ସାପ ଓ ସିଡ଼ି' ଖେଳ ଭଳି ଜୀବନ ଉତ୍ଥାନ ପତନ ଦେଇ ଗତି କରିଛି, ତେଣୁ ମୋ ଜୀବନ ଏକ ଊର୍ଦ୍ଧ୍ୱଗାମୀ ସରଳ ରେଖା ବୋଲି କହି ହେବନି, ବରଂ ଉତ୍ଥାନ ପତନ ସମ୍ବଳିତ ଏକ ବକ୍ରରେଖା । ଏହି ଉତ୍ଥାନ ପତନ ସହିତ ମୋର କେତେଜଣ ଶୁଭାକାଙ୍]କ୍ଷୀ ଓ ଅନ୍ତରଙ୍ଗ ବନ୍ଧୁ ପରିଚିତ ଥିଲେ ହେଁ ଏହାକୁ ଲୋକଲୋଚନକୁ ଆଣିବାକୁ ଯାଇ ଏ ଲେଖାର ପ୍ରୟାସ ମାତ୍ର । ପ୍ରଥମରୁ ମୁଁ କହି ରଖେ ଏହା ଏକ ଆତ୍ମଜୀବନୀ ନୁହଁ । ଆତ୍ମଜୀବନୀ ଲେଖିବାର ଧୃଷ୍ଟତା ମୋର କରିବାର ନାହିଁ । ଜୀବନରେ ପାରିବାରିକ, ସାମାଜିକ ଓ ଅର୍ଥନୈତିକ ଝଡ଼ଝଞ୍ଜାକୁ ମୁଁ କିପରି ସାମନା କରିଛି ଓ ମୋର ପରିବାର ଲୋକେ କେମିତି ମୋ ସହିତ ସହଯୋଗ କରିଛନ୍ତି ସେଗୁଡ଼ିକ ଗଳ୍ପ ମାĝ